Sunday, June 20, 2021

କେତେ ବିନମ୍ରତା

 ପୂଜ୍ୟ ଶ୍ରୀ ଦତ୍ତୋପନ୍ଥ ଠେଙ୍ଗଡ଼ି ନିଜକୁ ରାଷ୍ଟ୍ର ପାଇଁ ସମର୍ପି ଦେଇଥିଲେ ।ସେ ଭାରତ ରେ ଗଣତନ୍ତ୍ର ସପକ୍ଷ ଆନ୍ଦୋଳନ(୧୯୭୬ ) ର ମୁଖ୍ୟ ପୁରୋଧା।ସେ ଦୁଇଟି ରାଷ୍ଟ୍ର ଉପଯୋଗୀ ସଂଗଠନ ର ମୁଖ୍ୟ ବିନ୍ଧାଣି ଥିଲେ । ପ୍ରଥମଟି ଭାରତୀୟ ମଜଦୂର ସଂଘ୍ ଏବଂ ଅନ୍ୟଟି ସ୍ୱଦେଶୀ ଜାଗରଣ ମଞ୍ଚ। ଉଭୟ ସଂଗଠନ ଭାରତ ରେ ଏବଂ ଅ।ନ୍ତର୍ଜାତୀୟ ସ୍ତର ରେ ବେଶ୍ ପରିଚିତ ।


ତାଙ୍କର ଆଦର୍ଶ  ଏବଂ ଦୃଷ୍ଟି ସମନ୍ଧ ରେ ବହିଟିଏ । ବହିର ମୁଖବନ୍ଧ ପଢୁଥିଲି। ସେଥିରୁ ଜାଣିଲି ଜଣେ କାର୍ଯ୍ୟକର୍ତ୍ତା ସେଇ ବହିଟି ସଂକଳନ କରିଛନ୍ତି। ପଚିଶ ତିରିଶ ବର୍ଷର ଠେଙ୍ଗଡ଼ିଜୀଙ୍କ ବୌଦ୍ଧିକ ଓ ବୈଠକର ବିଷୟଗୁଡ଼ିକୁ ସାଇତି ରଖି ସେ ବହି ରୂପେ ପ୍ରକାଶ କରିଛନ୍ତି। ଏଥିରୁ ସେ କାର୍ଯ୍ୟକର୍ତ୍ତାଙ୍କର ଠେଙ୍ଗଡ଼ିଜୀଙ୍କ ପ୍ରତି କେତେ ଶ୍ରଦ୍ଧାଥିବ ଆମେ ମାପି ପାରିବା। ବହିର ପୃଷ୍ଠା ୩୦୦ ରୁ ଅଧିକ ହେବ।


ଏଥିରେ ସଂକଳକ (ସେହି କାର୍ଯ୍ୟକର୍ତ୍ତା) ନିଜ ସମସ୍ୟା ଲେଖିବାକୁ ଯାଇ କହିଛନ୍ତି ଯେ ପୁସ୍ତକର ପ୍ରାରୂପ ପ୍ରସ୍ତୁତ କରିବା ପରେ ଅନେକ ଥର ଚେଷ୍ଟା କରିଛି ଠେଙ୍ଗଡ଼ିଜୀ ଥରେ ଏ ସଂକଳନଟିକୁ ଦେଖି ଦିଅନ୍ତୁ। ତଥ୍ୟ ଓ ବିଚାର ଯଦି କେଉଁଠି ମୋ ଲେଖିବାରେ ଭୁଲ୍ ହୋଇଯାଇଥିବ ସୁଧାରି ଦିଅନ୍ତୁ। କିନ୍ତୁ ସମୟର ଅଭାବ ଓ କାର୍ଯ୍ୟକ୍ରମର ଚାପ କାରଣରୁ ସେ ଏହାକୁ ଥରେ ବି ଦେଖି ପାରିଲେ ନାହିଁ। ମୋର ବି ଯେଉଁ ବିଷୟରେ କିଛି ସନ୍ଦେହ ଆସୁଥିଲା ତାଙ୍କୁ ପଚାରିବାକୁ ଚାହୁଁଥିଲି, ସମୟ ମାଗୁଥିଲି, ତାହା ବି ସମ୍ଭବ ହେଲା ନାହିଁ।


ଯେତେ ଥର ଠେଙ୍ଗଡ଼ିଜୀଙ୍କୁ ଏ ବିଷୟରେ ପଚାରିଛି, ସେ ସବୁବେଳେ ଗୋଟିଏ ଉତ୍ତର ଦେଉଥିଲେ -


"ଏ ବିଶାଳ ପୃଥିବୀରେ ମେଧାବୀ ଓ ବିଚାରବାନ ବ୍ୟକ୍ତିଙ୍କର ଅଭାବ ନାହିଁ। ସେମାନେ ଯଦି ମୋର କେଉଁଠି ଭୁଲ୍ ଥିବ ସୁଧାରି ଦେବେ। ଯଦି କେଉଁଠି ଅସଙ୍ଗତ କଥା ଥିବ ତାକୁ ସୁସଙ୍ଗତ କରିଦେବେ। ଆମ ଦେଶର ରାଷ୍ଟ୍ରୀୟ ପ୍ରତିଭାମାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। ସାଧନା, ସମର୍ପଣ ଓ ନିର୍ମାଣର ଶବ୍ଦ ଦେବତାଙ୍କ ଶ୍ରୀଚରଣରେ ଅର୍ପିତ ପୁଷ୍ପ ଭଳି। କହିବା, ଲେଖିବା ଓ ଶବ୍ଦରେ ମହତ୍ତ୍ୱ ନାହିଁ, ମହତ୍ତ୍ୱ ଅଛି ଆସ୍ଥାରେ। ଆସ୍ଥାରେ ଶବ୍ଦକୁ ଅର୍ଥ ଦେବାର ଅନ୍ତର୍ଭୂତ ସାମର୍ଥ୍ୟ ଥାଏ। ମୁଁ ଯାହା କିଛି କହିଛି, ଏଥିରେ ମୋର ବୋଲି କିଛି ନାହିଁ। ପରମ୍ପରାରୁ ପ୍ରାପ୍ତ ବିଚାର, ଯାହାକୁ ଆମ ମୁନି, ଋଷି, ସାଧୁ, ସନ୍ଥ ଓ ଚିନ୍ତାନାୟକମାନଙ୍କ ସାହିତ୍ୟରୁ ପଢ଼ିଛି, ପରମ ପୂଜନୀୟ ଶ୍ରୀଗୁରୁଜୀଙ୍କ ଠାରୁ ଶୁଣିଛି, ସ୍ୱର୍ଗୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସହିତ ଚର୍ଚ୍ଚା କରି ପାଇଛି, ସେ ସବୁ କହିଛି। ସେ ସବୁ ବିଚାରକୁ ସୁଧାରିବା ଓ ଭାଷ୍ୟ କରିବାର ଯୋଗ୍ୟତା ମୋ ପାଖରେ ନାହିଁ।"🏵️

(ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ର ପ୍ରଚାରକ ଶ୍ରୀମାନ ନାରାୟଣ ନାୟକ ଙ୍କ କଲମ ରୁ )

No comments:

Post a Comment