ଶାଶ୍ୱତ ପାଣିଗ୍ରାହୀ
ଅକ୍ଟୋବର ୯ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପବିତ୍ର ଜନ୍ମ ଦିବସ। ଆମେ ସମସ୍ତେ ଅବଗତ ଯେ ଗୋପବନ୍ଧୁ ଥିଲେ ଜଣେ ଆଗଧାଡିର ସ୍ଵାଧୀନତା ସଂଗ୍ରମୀ ଏବଂ ନିଆରା ସମାଜ ସଂସ୍କାରକ।
ତାଙ୍କର ସମାଜସେବା ପ୍ରତି ଥିବା ଅଦମ୍ୟ ପ୍ରତିବଦ୍ଧତା ଏବଂ ଦେଶସେବା ପ୍ରତି ଥିବା ଅଦ୍ୱିତୀୟ ଉତ୍ସାହ ଦିନେ ମହାତ୍ମା ଗାନ୍ଧୀଙ୍କୁ ସ୍ତବ୍ଧ କରିଦେଇଥିଲା।
‘ନବଜୀବନ’ ସମ୍ବାଦପତ୍ରରେ ‘ମୋ ଓଡ଼ିଶା ଭ୍ରମଣ’ ଶୀର୍ଷକ ଏକ ସ୍ତମ୍ବରେ ଗାନ୍ଧିଜୀ ଲେଖିଥିଲେ, “ଯଦି ଭାରତବର୍ଷରେ ଗୋପବନ୍ଧୁ ଦାସଙ୍କ ଭଳି ଶହେ ଜଣ ବ୍ୟକ୍ତି ଥା’ନ୍ତେ , ତେବେ ଆମ ଦେଶ ବର୍ଷକରେ ସ୍ଵାଧୀନତା ହାସଲ କରିପାରନ୍ତା।”
ଗୋପବନ୍ଧୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ଥିଲେ। ସେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। କିନ୍ତୁ ତାଙ୍କ ଜୀବନ ଏବଂ ସମୟ ପୃଷ୍ଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ପରିଚ୍ଛେଦ ହଜି ଯାଇଛି । ତଥାକଥିତ ଧର୍ମନିରପେକ୍ଷ ଇତିହାସକାରମାନେ ଏହି ଅଧ୍ୟାୟଟିକୁ ଜାଣିଶୁଣି ଲୁଚାଇ ଦେଇଛନ୍ତି।
ଇତିହାସର ପୃଷ୍ଠାକୁ ଠିକଭାବେ ଅଵଲୋକନ କଲେ ଜଣାଯାଏ ଯେ ଗୋପବନ୍ଧୁ ଥିଲେ ହିନ୍ଦୁତ୍ୱ ଓ ସାଂସ୍କୃତିକ ରାଷ୍ଟ୍ରୀୟତାବାଦର ଜଣେ ପୁରୋଧା।
ବୋଧହୁଏ ଗୋପବନ୍ଧୁ ‘ହିନ୍ଦୁ’ ଶବ୍ଦର ସବୁଠୁ ଶକ୍ତିଶାଳୀ ସଂଜ୍ଞା ନିର୍ଦ୍ଧାରଣ କରିଥିଲେ। ସେ ତାଙ୍କ କବିତାରେ ଲେଖିଥିଲେ,
“ନିଜ ସ୍ୱାର୍ଥ ପାଇଁ ଜାତ ନୁହେଁ ହିନ୍ଦୁ,
ବିଶ୍ଵ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ।”
ଗୋପବନ୍ଧୁ ହିନ୍ଦୁ ମହାସଭା ନେତା ଲାଲା ଲଜପତ୍ ରାୟଙ୍କ ଦ୍ଵାରା ବିଶେଷ ଭାବରେ ଅନୁପ୍ରାଣିତ ହୋଇଥିଲେ। ଲାଲାଜୀଙ୍କ ଓଡ଼ିଶା ପରିଦର୍ଶନ ପରେ ସେ ୧୯୨୬ ମସିହାରେ ହିନ୍ଦୁ ମହାସଭାର ଓଡ଼ିଶା ଶାଖା ପ୍ରତିିଷ୍ଠା କରିଥିଲେ।
ଓଡ଼ିଶା ପ୍ରଦେଶ ହିନ୍ଦୁ ମହାସଭାର ଗୋପବନ୍ଧୁ ଥିଲେ ପ୍ରଥମ ସଭାପତି। ହିନ୍ଦୁ ମହାସଭାର ନେତା ଭାବରେ ସେ ହିନ୍ଦୁମାନଙ୍କୁ ସଂଗଠିତ ହେବାପାଈଁ ଆହ୍ୱ।ନ ଦେଇଥିଲେ। ସେ ମଧ୍ୟ ହିନ୍ଦୁ ସୁରକ୍ଷା ବାହିନୀ ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଗୋମାତାର ସୁରକ୍ଷା ନିମିତ୍ତ ସାରା ଓଡ଼ିଶାରେ ସେ ଗୋଶାଳା ପ୍ରତିଷ୍ଠା କରିଥିଲେ। “ଭାରତ ପରି ଏକ କୃଷିପ୍ରଧାନ ଦେଶରେ ଗୋମାତାର ଅବଦାନ ଯେ ଅତୁଲ୍ୟ”, ଏହା ଗୁରୁତ୍ୱ ଆରୋପ କରି ସେ ଗୋହତ୍ୟା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ।
ଗୋପବନ୍ଧୁ ଶୁଦ୍ଧି ଆନ୍ଦୋଳନର ଦୃଢ଼ ସମର୍ଥକ ଥିଲେ, ଯାହାକି ଧର୍ମାନ୍ତରିତ ହିନ୍ଦୁମାନଙ୍କୁ ସ୍ବଧର୍ମକୁ ଫେରାଇ ଆଣିବାର ଏକ ମାଧ୍ୟମ ଥିଲା। ସେ ହିନ୍ଦୁ ସମାଜରେ ପ୍ରଚଳିତ ଥିବା କିଛି ପ୍ରତିଗାମୀ ପ୍ରଥାରେ ସଂସ୍କାର ଆଣିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ସେ ଛୁଆଁ ଅଛୁଆଁ ଭଳି କୁତ୍ସିତ ପ୍ରଥାର ମୂଳୋତ୍ପାଟନ ପାଇଁ କାର୍ଯ୍ୟ କରିଥିଲେ।
ଛୁଆଁ ଅଛୁଆଁ ପ୍ରଥା ବିରୁଦ୍ଧରେ ଗୋପବନ୍ଧୁ ଲେଖିଥିଲେ, “ହିନ୍ଦୁ ଉନ୍ନତି କସ୍ମିନ କାଳେ ସମ୍ଭବ ନୁହେଁ, ଯେପର୍ଯ୍ୟନ୍ତ ଛୁଆଁ ଅଛୁଆଁ ପ୍ରଥାର ପରିସମାପ୍ତି ହୋଇନାହିଁ।”
ସେହିପରି ଗୋପବନ୍ଧୁ ବିଧବା ବିବାହକୁ ସମର୍ଥନ କରିବା ସହ ବାଲ୍ୟବିବାହ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ।
ଗୋପବନ୍ଧୁ ବେଶ ଭଲଭାବେ ବୁଝିଥିଲେଯେ ହିନ୍ଦୁତ୍ୱ ଭାରତବର୍ଷର ଜୀଵନଧାରା। ତେଣୁ ହିନ୍ଦୁତ୍ୱର ସାର୍ଥକ ପ୍ରଣେତାଭାବରେ ସେ ସର୍ବଧର୍ମସମନ୍ବୟର ପୁରୋଧା ଥିଲେ।
ଗୋପବନ୍ଧୁ ଏକଦା କହିଥିଲେ , “ଜାତୀୟତାବାଦ ମୋର ଧର୍ମ ଏବଂ ଭଗବାନ ସ୍ଵୟଂ ଆମ ସହିତ ରାଷ୍ଟ୍ର ସ୍ୱରୂପରେ ବିଦ୍ୟମାନ।”
୧୯୨୬ ମସିହାରେ କଲିକତାରେ ଯେତେବେଳେ ହିନ୍ଦୁ-ମୁସଲମାନ ଦଙ୍ଗା ଆରମ୍ଭ ହୋଇଥିଲେ, ଗୋପବନ୍ଧୁ ଏହିପରି ତାଙ୍କର ପ୍ରତିକ୍ରିୟା ରଖିଥିଲେ।
ସେ କହିଥିଲେ, “ହିନ୍ଦୁ ଓ ମୁସଲମାନ ଭିତରେ ଧାର୍ମିକ ବିଭେଦ ରହିଛି। ତେଣୁ ସେମାନଙ୍କ ଭିତରେ ଛୋଟ ଛୋଟ ବ୍ୟବଧାନ ରହିବା ସ୍ବଭାବିକ। କିନ୍ତୁ ଏହି ଦୁଇ ସମ୍ପ୍ରଦାୟର ଭିତରେ ଏମିତି କିଛି ଭାବନା ସୃଷ୍ଟି ହେବା ଆବଶ୍ୟକ, ଯାହାଦ୍ୱାରା କି ଏହି ବ୍ୟବଧାନ ସବୁ ଦୁରେଇଯିବା ସହ ଧାର୍ମିକ ଏକତା ସୃଷ୍ଟି ହୋଇ ପାରିବା।”
ଗୋପବନ୍ଧୁ ପୁଣି କହିଥିଲେ, “ଧର୍ମଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ମାତୃଭୂମି ଏବଂ ତା ପ୍ରତି ଭଲ ପାଇବା। ନିଜ ମାତୃଭୂମିକୁ ଭଲ ପାଇବା ପ୍ରତ୍ୟେକ ନାଗରିକ ପାଇଁ ସବୁଠୁ ପ୍ରିୟ ବିଷୟ। ଏମିତି ଅନୁଭବ ଯେତେବେଳେ ନାଗରିକ ମାନଙ୍କ ଭିତରେ ଉଦ୍ରେକ ହୁଏ ଦେଶମାତୃକା ପ୍ରତି ଅନୁରାଗ ବଢେ ଏବଂ ଧାର୍ମିକ ବ୍ୟବଧାନ ଆପେ ଆପେ ଉଭେଇଯାଏ।”
ଗୋପବନ୍ଧୁ କହିଥିଲେ, “ଜଣେ ଭାରତୀୟ ପାଇଁ ତାର ମାତୃଭୂମି ସବୁଠୁଁ ମହାନ୍। ଭାରତରେ ଜାତୀୟ ଏକତା ସେ ପର୍ଯ୍ୟନ୍ତ ସମ୍ଭବ ନୁହେଁ, ଯେ ପର୍ଯ୍ୟନ୍ତ ନାଗରିକମାନେ ଦେଶକୁ ଭଲପାଇବା ନିଜର ଧର୍ମ ବୋଲି ଅବିହିତ କରି ନାହାନ୍ତି ଓ ମା ଭାରତୀର ସେବାକୁ ବିଶେଷ ପ୍ରଧାନ୍ୟ ଦେଇନାହାନ୍ତି।”
ଗୋପବନ୍ଧୁ ଭାରତ ବର୍ଷର ହିନ୍ଦୁ ଓ ମୁସଲମାନଙ୍କୁ ଦୁଇ ଭାଇ ଭାବେ ଅଭିହିତ କରି କହିଥିଲେଯେ ସେମାନେ ଶତାବ୍ଦୀ ଶତାବ୍ଦୀ ଧରି ଏକତ୍ର ବସବାସ କରିଆସୁଛନ୍ତି ଏବଂ ଭବିଷ୍ୟତରେ କେବେବି ପରସ୍ପର ଠାରୁ ଅଲଗା ହେବେନାହିଁ।
ଗୋପବନ୍ଧୁ ଓଡ଼ିଶାର ମୁସଲମାନ ମାନଙ୍କୁ ପଡୋଶୀ ବଙ୍ଗଳାର ଘଟଣାକ୍ରମରେ ଭୟଭୀତ ନହେବାକୁ ବୁଝାଇଥିଲେ ଏବଂ କିଛି ବିଦ୍ୱେଷକାରୀ ଶକ୍ତି ମାନଙ୍କ କଥାରେ ପରିଚାଳିତ ନହେବାକୁ ପରାମର୍ଶ ଦେଇଥିଲେ।
ଗୋପବନ୍ଧୁ ତାଙ୍କର ପ୍ରସିଦ୍ଧ ସୃଷ୍ଟି ‘ବନ୍ଦୀର ଆତ୍ମକଥା’ ରେ ଭାରତବର୍ଷର ଧାର୍ମିକ ସମନ୍ୱୟ ଉପରେ ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।
ଉକ୍ତ କବିତାରେ ସେ ଯୁଧିଷ୍ଠିର, ଆକବର ଏବଂ ଯୀଶୁଖ୍ରୀଷ୍ଟଙ୍କର ଉଲ୍ଲେଖ ଏକା ସାଙ୍ଗରେ କରିଛନ୍ତି। ଗୋପବନ୍ଧୁ ପୁଣି ଲେଖିଛନ୍ତି,
“ବେଦ କୋରାନକୁ କର ସମଜ୍ଞାନ।”
ଆଜିର ଏ ସମୟ ପାଇଁ ଗୋପବନ୍ଧୁଙ୍କ ଉକ୍ତ ବାଣୀର ଖୁବ ପ୍ରାସଙ୍ଗିକତା ରହିଛି।
(ଲେଖକ ନୂଆଦିଲ୍ଲୀରେ ଅଵସ୍ଥାପିତ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ସାଂସ୍କୃତିକ ଇତିହାସର ଗବେଷକ)
E-mail: panigrahi.saswat@gmail.com
Twitter: @SaswatPanigrahi)
No comments:
Post a Comment